ପୁଣି ଥରେ ଚର୍ଚ୍ଚାରେ ଡୋନାଲ୍ଡ ଟ୍ରମ୍ପ… । କିନ୍ତୁ ଏଥର କୌଣସି ନିର୍ବାଚନୀ ପ୍ରଚାର ପାଇଁ ନୁହେଁ, ବରଂ ନିଜର ଏକ ବିବାଦୀୟ ପୋଷ୍ଟ ପାଇଁ। ଯେଉଁଥିରେ ସେ ଭାରତ ଭଳି ଦେଶକୁ ସିଧାସଳଖ ‘ନର୍କ’ ବୋଲି ବର୍ଣ୍ଣନା କରିଛନ୍ତି। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତିଙ୍କ ଏଭଳି ମନ୍ତବ୍ୟ ଏବେ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଘଟଣାଟି କଣ? ପ୍ରକୃତରେ ଟ୍ରମ୍ପ ତାଙ୍କ ‘ଟ୍ରୁଥ୍ ସୋସିଆଲ’ ଆକାଉଣ୍ଟରେ ମାଇକେଲ ସାଭେଜଙ୍କ ଏକ ତିନି ସପ୍ତାହ ପୁରୁଣା ଭିଡିଓର ଲେଖା ପୋଷ୍ଟ କରିଛନ୍ତି। ଯେଉଁଥିରେ ‘ଜନ୍ମାଧିକାର ନାଗରିକତା’ ଉପରେ କଠୋର ପ୍ରହାର କରାଯାଇଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଭିଡିଓରେ ଭାରତ ଏବଂ ଚାଇନା ଭଳି ବିଶ୍ୱର ବଡ଼ ଦେଶଗୁଡ଼ିକୁ ‘Hell’ ବା ‘ନର୍କ’ ସହିତ ତୁଳନା କରାଯାଇଛି। ସାଭେଜଙ୍କ ସେହି ବିବାଦୀୟ ବକ୍ତବ୍ୟକୁ ଟ୍ରମ୍ପ ନିଜେ ଟ୍ରାନ୍ସକ୍ରିପ୍ଟ କରି ୪ଟି ପୃଷ୍ଠାରେ ଶେୟାର କରିଛନ୍ତି। ଯେଉଁଥିରେ ଲେଖାଅଛି- “ଲୋକମାନେ ନବମ ମାସରେ ଆମେରିକା ଆସୁଛନ୍ତି, ପିଲା ଜନ୍ମ ହେଉଛି ଆଉ ସେମାନେ ନାଗରିକ ହୋଇଯାଉଛନ୍ତି। ତା’ପରେ ସେମାନେ ଭାରତ କିମ୍ବା ଚୀନ ଭଳି ଗ୍ରହର ଅନ୍ୟ କୌଣସି ‘ନର୍କ’ରୁ ନିଜ ପରିବାରକୁ ଏଠାକୁ ଉଠାଇ ଆଣୁଛନ୍ତି।” ଯେଉଁ ଭିଡିଓକୁ ୟୁଟ୍ୟୁବ୍ରେ ମାତ୍ର ୧୨ ହଜାର ଲୋକ ଦେଖିଥିଲେ, ଟ୍ରମ୍ପଙ୍କ ଗୋଟିଏ ପୋଷ୍ଟ ତାକୁ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ଦେଇଛି। ଜଣେ ରାଷ୍ଟ୍ରପତି ଯେତେବେଳେ ଏଭଳି ବାକ୍ୟ ପୋଷ୍ଟ କରନ୍ତି, ତାହାର ଅର୍ଥ ସେ ଏହି ଅପମାନଜନକ ମନ୍ତବ୍ୟ ଉପରେ ନିଜର ସହମତି ପ୍ରକାଶ କରୁଛନ୍ତି।
©2026 B Tv WordPress Video Theme by WPEnjoy
