୭୮ ହଜାର ବ୍ୟାଗ୍ କିଣାରେ ମହାଖେଳ!
ପିଲାଙ୍କ ବ୍ୟାଗ୍ରେ ବି ଦୁର୍ନୀତି ଗନ୍ଧ!
RTI ଖୋଲିଦେଲା ସରକାରୀ ଗୁମର!
କିଏ ଦେଲା ବ୍ୟାଗ୍? DEO ପାଖରେ ତଥ୍ୟ ନାହିଁ!
ନବୀନଙ୍କ ଅନ୍ଧାରୀ ଶାସନର ପୁନରାବୃତ୍ତି କି?
ପିଲାଙ୍କ ପାଠପଢ଼ା ପାଇଁ ସରକାରଙ୍କ ମାଗଣା ଉପହାର! ହେଲେ ସେହି ଉପହାର ଭିତରେ ଯଦି ଲୁଚିଥାଏ ଦୁର୍ନୀତିର ଗନ୍ଧ, ତେବେ ଦାୟୀ କିଏ? ଯେଉଁ ବ୍ୟାଗ୍ରେ ପିଲାମାନେ ବହି ଖାତା ନେଇ ସ୍କୁଲ ଯିବା କଥା, ସେହି ବ୍ୟାଗ୍ର ଚେନ୍ ଖରାପ, କେଉଁଠି ଚିରାଫଟା ତ ଆଉ କେଉଁଠି ବ୍ୟାଗ୍ ଫେରାଇ ଦେଲେ ଅଭିଭାବକ! ଏପଟେ କୋଟି କୋଟି ଟଙ୍କାର କ୍ରୟ ପ୍ରକ୍ରିୟାର ହିସାବ ମାଗିଲେ ମିଳୁନି ଆବଶ୍ୟକ ତଥ୍ୟ! ଯାଜପୁରରୁ ଆସିଛି ଏମିତି ଏକ ସାଂଘାତିକ ଅଭିଯୋଗ!
ସୂଚନୁଯାୟୀ, ନିପୁଣ ଓଡ଼ିଶା, ନିପୁଣ ଭାରତ ଅଭିଯାନରେ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣା ସ୍କୁଲ ବ୍ୟାଗ୍ ଯୋଗାଇ ଦିଆଯାଇଛି। କେବଳ ଯାଜପୁର ଜିଲ୍ଲାରେ ବଣ୍ଟନ ହୋଇଛି ୭୮ ହଜାର ୫୩୧ଟି ବ୍ୟାଗ୍। ଜିଲ୍ଲାର ୧୦ଟି ବ୍ଲକ୍କୁ ଯୋଗାଣ ହୋଇଥିବା ଏହି ବ୍ୟାଗ୍ର ସଂଖ୍ୟା କିଛି କମ୍ ନୁହେଁ। କିନ୍ତୁ ଏତେ ବଡ଼ ଯୋଜନାରେ ଯୋଗାଣ ହୋଇଥିବା ବ୍ୟାଗ୍ର ମାନକୁ ନେଇ ଏବେ ଉଠିଛି ପ୍ରଶ୍ନ।
ବିଞ୍ଝାରପୁର, ବରୀ, ଦଶରଥପୁର, କୋରେଇ ଓ ଦାନଗଦୀ ବ୍ଲକ୍ର ବିଭିନ୍ନ ସ୍କୁଲରେ ନିମ୍ନମାନର ବ୍ୟାଗ୍ ମିଳିଥିବା ଅଭିଯୋଗ ହୋଇଛି। କେଉଁଠି ଚେନ୍ ଖରାପ ତ ଆଉ କେଉଁଠି ବ୍ୟାଗ୍ ଚିରାଫଟା। ଫଳରେ ଅଭିଭାବକଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ। କିନ୍ତୁ ଅସଲ ରହସ୍ୟ ଲୁଚିଛି ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟରେ!
ବ୍ୟାଗ୍ କିଏ ଯୋଗାଇଲା? କେଉଁ ସଂସ୍ଥାକୁ ମିଳିଥିଲା ଟେଣ୍ଡର ବା ଯୋଗାଣ ଦାୟିତ୍ୱ? କେତେ ଦରରେ କିଣାଗଲା ୭୮ ହଜାରରୁ ଅଧିକ ବ୍ୟାଗ୍? ଏସବୁ ଜାଣିବାକୁ ମଗାଯାଇଥିଲା ଦସ୍ତାବିଜ।
ହେଲେ ଆଶ୍ଚର୍ଯ୍ୟର କଥା, RTI ଉତ୍ତରରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଯୋଗାଣକାରୀଙ୍କ ରସିଦ ଓ କୋଟେସନ୍ର ନକଲ ଉପଲବ୍ଧ ନଥିବା କୁହାଯାଇଛି। ବ୍ଲକ୍ ସ୍ତରରେ ମଧ୍ୟ ବଣ୍ଟନ ସମ୍ପର୍କିତ ଆବଶ୍ୟକ ତଥ୍ୟ ଓ ପ୍ରମାଣପତ୍ର ନଥିବା ଜଣାପଡ଼ିଛି। ଅର୍ଥାତ୍, ହଜାର ହଜାର ବ୍ୟାଗ୍ ବଣ୍ଟାଯାଇଛି, ହେଲେ କିଣା ଓ ଯୋଗାଣ ପ୍ରକ୍ରିୟାର ଦସ୍ତାବିଜ କୁଆଡ଼େ ଗଲା? ଏହା ଏବେ ସବୁଠାରୁ ବଡ଼ ପ୍ରଶ୍ନ!
ଏବେ ପ୍ରଶ୍ନ ହେଉଛି, ରାଜ୍ୟରେ ସରକାର ବଦଳିଲା, ଶାସନର ଚେହେରା ବଦଳିଲା, ହେଲେ ବ୍ୟବସ୍ଥା ବଦଳିଲା କି? ପୂର୍ବ ସରକାରଙ୍କ ଅମଳରେ ଯେଉଁ ଅନ୍ଧାରୀ ଶାସନ ଓ ଅସ୍ପଷ୍ଟତାକୁ ନେଇ ପ୍ରଶ୍ନ ଉଠୁଥିଲା, ଆଜିର ସରକାରଙ୍କ ସମୟରେ ମଧ୍ୟ ସମାନ ଢାଞ୍ଚାର ଅଭିଯୋଗ କାହିଁକି? ନବୀନଙ୍କ ଅନ୍ଧାରୀ ଶାସନର ନବୀକରଣ କରୁଛି କି ବିଜେପି ସରକାର? ପିଲାଙ୍କ ଭବିଷ୍ୟତ ପାଇଁ ଆସୁଥିବା ଯୋଜନାରେ ଯଦି ସ୍ୱଚ୍ଛତା ନାହିଁ, ତେବେ ସାଧାରଣ ଲୋକ ସରକାରଙ୍କୁ ବିଶ୍ୱାସ କରିବେ କେମିତି?
ତେଣୁ ସରକାରଙ୍କୁ ସିଧାସଳଖ ପ୍ରଶ୍ନ!
୭୮ ହଜାର ୫୩୧ଟି ବ୍ୟାଗ୍ କିଏ ଯୋଗାଇଥିଲା? ପ୍ରତି ବ୍ୟାଗ୍ର ଦାମ୍ କେତେ? କେତେ ଟଙ୍କା ଖର୍ଚ୍ଚ ହୋଇଛି? କିଣା ପ୍ରକ୍ରିୟାର ଦସ୍ତାବିଜ କାହିଁକି ନାହିଁ? ନିମ୍ନମାନର ବ୍ୟାଗ୍ ଯୋଗାଇଥିବା ସଂସ୍ଥା ବିରୋଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ?
ପିଲାଙ୍କ ବ୍ୟାଗ୍ର ଚେନ୍ ଖୋଲିଯାଉଛି, ଆଉ ସରକାରୀ ବ୍ୟବସ୍ଥାର ସ୍ୱଚ୍ଛତା ଉପରେ ଉଠୁଛି ବଡ଼ ପ୍ରଶ୍ନ! ଏହା ଅନିୟମିତତା ନା ପ୍ରଶାସନିକ ଅବହେଳା? ତଦନ୍ତ ହେଲେ ହିଁ ସାମ୍ନାକୁ ଆସିବ ସତ!
