\n\n\n\n\n\n\n

ହାତୀ ନଦୀରେ ମାଫିଆ ରାଜ୍! ବାଲି ଲୁଟ୍‌ରେ ମଧୁଚନ୍ଦ୍ରିକା?

ନଦୀରୁ ଦିନ ଦ୍ୱିପ୍ରହରେ ବାଲି ଲୁଟ୍‌! ଶହ ଶହ ଟ୍ରାକ୍ଟରରେ ଚାଲିଛି ବେଆଇନ ଚାଲାଣ। ହେଲେ ସବୁ ଜାଣି ଚୁପ୍‌ ବସିଛି କି ପ୍ରଶାସନ? ନା ବାଲି ମାଫିଆଙ୍କ ସହ ରହିଛି ଭିତିରି ସମ୍ପର୍କ?

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍‌ର ଜୀବନରେଖା ହାତୀ ନଦୀ। ହେଲେ ଏବେ ଏହି ନଦୀ ଉପରେ ବାଲି ମାଫିଆଙ୍କ ଲୋଲୁପ ଦୃଷ୍ଟି। ଅଭିଯୋଗ ଅନୁସାରେ, ପ୍ରତିଦିନ ଶହ ଶହ ଟ୍ରାକ୍ଟରରେ ବାଲି ଉଠାଇ ବେଆଇନ ଭାବେ ଚାଲାଣ କରାଯାଉଛି। ଫଳରେ ନଦୀଶଯ୍ୟା ଗଭୀର ହେବା ସହ ଭୂତଳ ଜଳସ୍ତର ହ୍ରାସ ପାଉଛି। ଏପରିକି ନଦୀକୂଳ ଲାଗିଥିବା ଚାଷଜମି ମଧ୍ୟ କୂଳକ୍ଷୟର ସମ୍ମୁଖୀନ ହେଉଛି।

ସବୁଠାରୁ ସାଂଘାତିକ ଅଭିଯୋଗ ହେଉଛି, ବେଆଇନ ବାଲି ଚାଲାଣ ସମ୍ପର୍କରେ ପ୍ରଶାସନକୁ ଜଣାଇଲେ ଅଭିଯୋଗକାରୀଙ୍କ ପରିଚୟ ମାଫିଆଙ୍କ ନିକଟରେ ପହଞ୍ଚୁଥିବା ଅଭିଯୋଗ ହେଉଛି। ଯାହାକୁ ନେଇ ପ୍ରଶାସନ ଓ ବାଲି ମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ନେଇ ସନ୍ଦେହ ବଢ଼ିଛି।

ତେବେ କାହା ଛତ୍ରଛାୟାରେ ଚାଲିଛି ଏହି ବାଲି ଲୁଟ୍‌? କେବେ ଭାଙ୍ଗିବ ପ୍ରଶାସନର ନିରବତା? ହାତୀ ନଦୀକୁ ବଞ୍ଚାଇବା ପାଇଁ କେବେ ହେବ କଠୋର କାର୍ଯ୍ୟାନୁଷ୍ଠାନ? ଏବେ ଏହା ହିଁ ସବୁଠୁ ବଡ଼ ପ୍ରଶ୍ନ।