ନିର୍ଦୋଷରେ ଖଲାସ ହୋଇଗଲା ଅଭିଯୁକ୍ତ !
ପୀଡ଼ିତ ପରିବାରକୁ ମିଳିବ କି କ୍ଷତିପୂରଣ ?
ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ପ୍ରସ୍ତାବ !
ଏବେ ପୀଡ଼ିତ ପରିବାରକୁ ମିଳିବ କି ଆର୍ଥିକ ନ୍ୟାୟ !
ଦୁଇ ଦୁଇଟି ହତ୍ୟା! ଅଦାଲତରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ! ହେଲେ… ଏହି ଦୁଇ ମୃତକଙ୍କ ପରିବାରର ଦୁଃଖର ଭରଣା କରିବ କିଏ? ଅଭିଯୁକ୍ତ ଖଲାସ ହେଲେ ବୋଲି କ’ଣ ପୀଡ଼ିତ ପରିବାର ନ୍ୟାୟ ଓ ସହାୟତାରୁ ବଞ୍ଚିତ ରହିବେ? ଏଥର ଏହି ବଡ଼ ପ୍ରଶ୍ନ ଉଠାଇଛନ୍ତି ଖୋଦ୍ ସୁପ୍ରିମକୋର୍ଟ!
ଘଟଣା ୨୦୧୧ ମସିହାର। ହରିୟାଣାର ଭିୱାନୀ ଜିଲ୍ଲା ରାନିଲା ଗାଁ। ଏପ୍ରିଲ ୧୭ ତାରିଖରେ ଶକୁନ୍ତଳା ଓ ସୁମନ ନାମକ ଦୁଇ ବିଧବା ମହିଳାଙ୍କୁ ଲାଠିରେ ପିଟି ହତ୍ୟା କରାଗଲା। ପରିବାରର ସମ୍ମାନ ରକ୍ଷା ନାଁରେ ହତ୍ୟା ହୋଇଥିବା ଅଭିଯୋଗ ଆସିଲା।
ଏହି ମାମଲାରେ ନରେଶ ଓ ସୁଭାଷଙ୍କ ନାଁ ଆସିଥିଲା। ୨୦୧୩ରେ ଫାଷ୍ଟଟ୍ରାକ୍ କୋର୍ଟ ନରେଶଙ୍କୁ ଶୁଣାଇଥିଲେ ମୃତ୍ୟୁଦଣ୍ଡ। କିନ୍ତୁ ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଯଥେଷ୍ଟ ପ୍ରମାଣ ନଥିବାରୁ ନରେଶଙ୍କୁ ମିଳିଗଲା ଖଲାସ! ହେଲେ କାହାଣୀ ଏଇଠି ଶେଷ ହୋଇନାହିଁ!
ଏଥର ସୁପ୍ରିମକୋର୍ଟଙ୍କ ନଜର ଅଭିଯୁକ୍ତଙ୍କ ଉପରେ ନୁହେଁ, ବରଂ ଦୁଇ ମୃତକଙ୍କ ପରିବାର ଉପରେ! ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମା ଓ ଜଷ୍ଟିସ ଏନ୍. କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ ପ୍ରଶ୍ନ ଉଠାଇଛନ୍ତି, ଅଭିଯୁକ୍ତ ଖଲାସ ହେଲେ ବି ପୀଡ଼ିତ ପରିବାରର ଯନ୍ତ୍ରଣା ଓ ପୁନର୍ବାସର ଦାୟିତ୍ୱ କିଏ ନେବ?
ଏଥିପାଇଁ ଭିୱାନୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବା DLSAକୁ ପରିବାରକୁ ସରକାରୀ କ୍ଷତିପୂରଣ ମିଳିପାରିବ କି ନାହିଁ, ତାହା ଯାଞ୍ଚ କରିବାକୁ କହିଛନ୍ତି। ତେବେ, ଏଠି ରହିଛି ସବୁଠାରୁ ବଡ଼ କଥା! CrPCର ଧାରା ୩୫୭A ଅନୁଯାୟୀ ପୀଡ଼ିତ ଓ ତାଙ୍କ ନିର୍ଭରଶୀଳଙ୍କ ପାଇଁ ରହିଛି କ୍ଷତିପୂରଣ ବ୍ୟବସ୍ଥା। ଯାହାର ଉତ୍ତରାଧିକାରୀ ବ୍ୟବସ୍ଥା BNSSରେ ମଧ୍ୟ ରହିଛି।
ଅର୍ଥାତ୍, ଅଭିଯୁକ୍ତ ଖଲାସ ହେବା ମାନେ ପୀଡ଼ିତ ପରିବାରର ସହାୟତାର ରାସ୍ତା ବନ୍ଦ ହେବ ନାହିଁ ! ତେବେ ଶକୁନ୍ତଳା ଓ ସୁମନଙ୍କ ପରିବାରକୁ ମିଳିବ କି ସରକାରୀ କ୍ଷତିପୂରଣ? ଏବେ ସମସ୍ତଙ୍କ ନଜର DLSAର ଯାଞ୍ଚ ଉପରେ। କାରଣ ନ୍ୟାୟ କେବଳ ଅଭିଯୁକ୍ତଙ୍କ ଦଣ୍ଡରେ ସୀମିତ ନୁହେଁ… ପୀଡ଼ିତ ପରିବାରର ପୁନର୍ବାସ ମଧ୍ୟ ନ୍ୟାୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ!
