୬ ଓ ୭ ନମ୍ବର ୱାର୍ଡ କାଉନସିଲରଙ୍କ ଘର ସାମ୍ନାରେ ଭଙ୍ଗା ରାସ୍ତା!
ତଥାପି କାହିଁକି ଚୁପ ?
ସବୁଦିନେ ଯାଉଛନ୍ତି ବଡ଼ ବଡ଼ ଅଧିକାରୀ
କିନ୍ତୁ କରୁନାହାନ୍ତି ତାଗିଦ !
ପାଣି ଟାଙ୍କି କାମ ପାଇଁ ତାଡିଦେଲେ ପେଭର ବ୍ଲକ…
ଏବେ ପେଭର ବ୍ଲକ ବଦଳରେ ପକାଉଛନ୍ତି ଦୁର୍ବଳ କଂକ୍ରିଟ
ଦବିଗଲା ପେଭର ବ୍ଲକ୍, ଚୁପ୍ ବସିଛି ପ୍ରଶାସନ!
ପାଣି ଟାଙ୍କି ନିର୍ମାଣ ହେଉଛି… ଲକ୍ଷ ଲକ୍ଷ ଲିଟର ପାଣି ଲୋକଙ୍କ ପାଖରେ ପହଞ୍ଚାଇବାକୁ କୋଟି କୋଟି ଟଙ୍କାର ପ୍ରକଳ୍ପ ଚାଲିଛି। ହେଲେ ଏହି ବିକାଶ କାର୍ଯ୍ୟ ଭିତରେ ହଜିଯାଇଛି କି ସାଧାରଣ ଲୋକଙ୍କ ଯାତାୟାତର ସୁବିଧା? ମୁଣ୍ଡମାଳରେ ପାଇପ୍ଲାଇନ୍ ବିଛାଇବା ପାଇଁ ଖୋଳାଗଲା ରାସ୍ତା। କାମ ସରିବା ପରେ କେଉଁଠି ପେଭର ବ୍ଲକ୍, ତ କେଉଁଠି କଂକ୍ରିଟ୍। ଆଉ ବାକି ରାସ୍ତା? ଭଙ୍ଗାଦଦରା ଅବସ୍ଥାରେ ପଡ଼ିରହିଛି!
ଦେଖନ୍ତୁ ଏହି ରାସ୍ତାର ଅବସ୍ଥା… ଗୋଟିଏ ପଟେ ପେଭର ବ୍ଲକ୍, ଅନ୍ୟ ପଟେ କଂକ୍ରିଟ୍ ଏବଂ ମଝିରେ ଭଙ୍ଗା ରାସ୍ତାର ଦୁର୍ଦ୍ଦଶା! ଅଭିଯୋଗ ହେଉଛି, ପାଇପ୍ଲାଇନ୍ ବିଛାଇବା ପାଇଁ ରାସ୍ତାରୁ ପେଭର ବ୍ଲକ୍ କଢ଼ାଗଲା। କିନ୍ତୁ କାମ ସରିବା ପରେ ସମ୍ପୂର୍ଣ୍ଣ ରାସ୍ତାକୁ ପୂର୍ବ ଅବସ୍ଥାକୁ ଫେରାଇବାରେ ଅବହେଳା କରାଯାଇଥିବା ଅଭିଯୋଗ ଉଠିଛି। କେବଳ ସେତିକି ନୁହେଁ, ପାଇପ୍ଲାଇନ୍ ଉପରେ ନୂଆକରି ବିଛାଯାଇଥିବା ପେଭର ବ୍ଲକ୍ ମଧ୍ୟ ଏବେ ଦବିବା ଆରମ୍ଭ କରିଛି। ଫଳରେ ଏହି ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ପାଇଁ ବଢ଼ୁଛି ସମସ୍ୟା।
ହେଲେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି… ଏହି ରାସ୍ତା କାହାରି ନଜରକୁ ଆସୁନି କି? ସ୍ଥାନୀୟ ଅଭିଯୋଗ ଅନୁଯାୟୀ, ଏହି ରାସ୍ତା ୬ ଓ ୭ ନମ୍ବର ୱାର୍ଡ କାଉନସିଲରଙ୍କ ଘର ସମ୍ମୁଖରେ ରହିଛି । ପୌରପାଳିକା ଅଧ୍ୟକ୍ଷାଙ୍କ ସମେତ ବହୁ ଜନପ୍ରତିନିଧି ଓ ବିଭାଗୀୟ ଅଧିକାରୀ ମଧ୍ୟ ପ୍ରତିଦିନ ଏହି ରାସ୍ତାରେ ଯିବାଆସିବା କରୁଛନ୍ତି। ତାହେଲେ ପ୍ରତିଦିନ ଆଖି ସାମ୍ନାରେ ଏହି ଦୁର୍ଦ୍ଦଶା ଥାଇ ମଧ୍ୟ କାହିଁକି ହେଉନି ସମାଧାନ? ନା ଦେଖି ନଦେଖିବାର ଅଭିନୟ କରୁଛନ୍ତି ସମସ୍ତେ?
ଏହି ପ୍ରସଙ୍ଗକୁ ନେଇ ଚୌଦ୍ୱାର ବିକାଶ ମଞ୍ଚ ପକ୍ଷରୁ ଚୌଦ୍ୱାର ଥାନାରେ ଠିକାଦାରଙ୍କ ବିରୋଧରେ ଏତଲା ପଞ୍ଜୀକରଣ ଦାବିରେ ଲିଖିତ ଅଭିଯୋଗ ଦିଆଯାଇଛି। ପ୍ରାୟ ୩.୫ କୋଟି ଟଙ୍କାର ୮ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ପ୍ରକଳ୍ପକୁ ନେଇ ଏବେ ଉଠିଛି ଅନେକ ପ୍ରଶ୍ନ। ବିକାଶ ମଞ୍ଚର ଦାବି, ରାସ୍ତାର ତୁରନ୍ତ ମରାମତି ହେଉ ଏବଂ ସମ୍ପୃକ୍ତ ଠିକାଦାର, PHD ର JE ଓ SDO ଙ୍କ ଭୂମିକା ଉପରେ ତଦନ୍ତ ହେଉ । ଏବେ ଅପେକ୍ଷା… ପ୍ରଶାସନର ନଜର କେବେ ପଡ଼ୁଛି? ଆଉ ମୁଣ୍ଡମାଳବାସୀଙ୍କୁ ଏହି ଭଙ୍ଗା ରାସ୍ତାରୁ କେବେ ମିଳୁଛି ମୁକ୍ତି?
