\n\n\n\n\n\n\n

ମାଡି ଆସୁଛି ବଡ ଝଡ ! ସରକାରଙ୍କୁ ଘେରିବେ ବିରୋଧୀ?

ବିଧାନସଭାକୁ ମାଡି ଆସୁଛି ଝଡ !

କୋଟିଆ ପ୍ରସଙ୍ଗରେ ହେବ କି ହଙ୍ଗାମା?

ବିରୋଧୀଙ୍କ ଟାର୍ଗେଟ୍‌ରେ କିଏ?

ଗୃହ ଅଚଳ ନା ସରକାରଙ୍କୁ ଘେରାଉ?

ଦିନକ ପରେ ଆରମ୍ଭ ହେବ ଶୀତ ଅଧିବେଶନ !

ଆଉ ଦିନକ ପରେ ବିଧାନସଭାର ଶୀତ ଅଧିବେଶନ! ଏଥର ଗୃହରେ ହେବ କି ଜୋରଦାର ହଟ୍ଟଗୋଳ? ନା ସରକାରଙ୍କୁ ଘେରିବାକୁ ବିରୋଧୀ ଆପଣାଇବେ ନୂଆ ରଣନୀତି? ବାତ୍ୟା ଓ ବନ୍ୟା ପରିଚାଳନାଠାରୁ ଆରମ୍ଭ କରି କୋଟିଆ ପ୍ରସଙ୍ଗ ପର୍ଯ୍ୟନ୍ତ, ଏଥର ସରକାରଙ୍କ ପାଇଁ ଗୃହ ଭିତରେ ଚ୍ୟାଲେଞ୍ଜ ବଢ଼ିବାକୁ ଯାଉଛି।

ଗଞ୍ଜାମରେ ବାତ୍ୟା ପରବର୍ତ୍ତୀ ବନ୍ୟାକୁ ନେଇ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ବିରୋଧୀ। ବିପର୍ଯ୍ୟୟ ପରିଚାଳନାରେ ତ୍ରୁଟି ଓ ମନୁଷ୍ୟକୃତ ବନ୍ୟା ଅଭିଯୋଗକୁ ନେଇ ଗୃହରେ ଜୋରଦାର ଆଲୋଚନା ହେବା ସମ୍ଭାବନା ରହିଛି।

ସେପଟେ କୋଟିଆକୁ ନେଇ ମଧ୍ୟ ସରକାରଙ୍କୁ ଅଡୁଆରେ ପକାଇବେ ବିରୋଧୀ। ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ, ଓଡ଼ିଆ ଭୋଟରଙ୍କ ଭୋଟଦାନ ଓ ଆଗାମୀ ସରପଞ୍ଚ ନିର୍ବାଚନକୁ ନେଇ ଉଠିବ ପ୍ରଶ୍ନ। କୋଟିଆରେ ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ସରକାର କ’ଣ ପଦକ୍ଷେପ ନେଇଛନ୍ତି, ତାହାର ଜବାବ ମାଗିବେ ବିରୋଧୀ।

କେବଳ ଏତିକି ନୁହେଁ, ଏମଏମଡିଆର ଓ ମହାନଦୀ ଜଳ ବିବାଦ ମଧ୍ୟ ଗୃହରେ ଉଠିବା ସମ୍ଭାବନା ରହିଛି। ଛତିଶଗଡ଼ ସହ ଆଲୋଚନାର ଆଧାର କ’ଣ, ସେନେଇ ମଧ୍ୟ ସରକାରଙ୍କୁ ଘେରିବେ ବିରୋଧୀ।

ହେଲେ ଏଥର ଗୃହକୁ ପୂରା ଅଚଳ କରିବା ସପକ୍ଷରେ ନାହାନ୍ତି ଅନେକ ବିଧାୟକ। କେବଳ ହଟ୍ଟଗୋଳ ନୁହେଁ, ବରଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରି ସରକାରଙ୍କୁ ଜବାବ ମାଗିବାକୁ ଚାହୁଁଛନ୍ତି ସେମାନେ। ତେଣୁ ଏଥର ବିରୋଧୀଙ୍କ ରଣନୀତି କ’ଣ ହେବ, ତାହା ଉପରେ ସମସ୍ତଙ୍କ ନଜର।

ନଭେମ୍ବର ୧୭ରେ ବିଭିନ୍ନ ଦଳର ବିଧାୟକ ଦଳ ବୈଠକ ସହ ସର୍ବଦଳୀୟ ବୈଠକ ହେବ। ନଭେମ୍ବର ୧୮ରୁ ଡିସେମ୍ବର ୩୧ ଯାଏଁ ଚାଲିବ ଅଧିବେଶନ। ମୋଟ ୩୦ଟି କାର୍ଯ୍ୟଦିବସ ରହିଥିବାବେଳେ ପ୍ରଥମ ଦିନରେ ୨୦୨୬-୨୭ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ ହେବ। ତେବେ ଏଥର ବିଧାନସଭାରେ ହଟ୍ଟଗୋଳ ହେବ ନା ହେବ ତଥ୍ୟଭିତ୍ତିକ ଲଢ଼େଇ? ବିରୋଧୀଙ୍କ ରଣନୀତି ଓ ସରକାରଙ୍କ ଜବାବ ଉପରେ ରହିବ ରାଜ୍ୟବାସୀଙ୍କ ନଜର।