କମିଲାନି, ଓଲଟା ବଢ଼ିଲା! ଦୈନିକ ଯାଉଛି ୧୮ ଜୀବନ !

ସରକାର ଗଣୁଛି ତଣ୍ଡ, ରାସ୍ତାରେ ଗଡ଼ୁଛି ମୁଣ୍ଡ

ମରଣଯନ୍ତା ପାଲଟିଛି ସରକରୀ ରାସ୍ତା

ପ୍ରତି ଘଣ୍ଟାରେ ଗଡ଼ୁଛି ମୁଣ୍ଡ

ସଡ଼କ ଦୁର୍ଘଟଣାକୁ ନେଇ ବିଧାନସଭାରେ ଖୋଲିଲା ସାଂଘାତିକ ତଥ୍ୟ

ସଡ଼କରେ ଗଡ଼ୁଛି ମୁଣ୍ଡ! ରକ୍ତରଞ୍ଜିତ ହେଉଛି ରାଜପଥ। ଆଉ ଏସବୁ ଭିତରେ ସରକାରୀ ଫାଇଲ୍‌ରେ କେବଳ ବଢ଼ି ଚାଲିଛି ମୃତ୍ୟୁର ପରିସଂଖ୍ୟାନ। କୁଆଡ଼େ ଗଲା ସଚେତନତା? କୁଆଡ଼େ ଗଲା କୋଟି କୋଟି ଟଙ୍କାର ଚୁକ୍ତି? ଯେତେବେଳେ ଲୋକଙ୍କ ଜୀବନ ଯାଉଛି, ସେତେବେଳେ ସରକାର କେବଳ ତଥ୍ୟ ରଖି ନିଜ କାମ ସାରିଦେଉଛନ୍ତି କି?ଆଜି ଆମେ କଥା ହେବା ଓଡ଼ିଶାର ସେଇ ‘ମରଣ ଯନ୍ତା’ ପାଲଟିଥିବା ରାସ୍ତା ବିଷୟରେ, ଯାହା ଉପରେ ବିଧାନସଭାରେ ସରକାର ନିଜେ ସ୍ୱୀକାର କରିଛନ୍ତି ଏକ ଭୟାନକ ସତ୍ୟ।

ବିଧାନସଭାରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଆଉ ଏହି ଉତ୍ତର ଓଡ଼ିଶାବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି। ସରକାରୀ ତଥ୍ୟ କହୁଛି, ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ୨୦୨୪ ମସିହାରେ ଦୈନିକ ହାରାହାରି ୧୭ ଜଣ ପ୍ରାଣ ହରାଉଥିଲେ। କିନ୍ତୁ ୨୦୨୫ରେ ଏହି ସଂଖ୍ୟା ବଢ଼ି ୧୮ରେ ପହଞ୍ଚିଛି। ଅର୍ଥାତ୍, ପ୍ରତି ଘଣ୍ଟାରେ କେହି ନା କେହି ନିଜ ପ୍ରିୟଜନଙ୍କୁ ହରାଉଛନ୍ତି। ୨୦୨୪ରେ ମୋଟ ମୃତ୍ୟୁ ସଂଖ୍ୟା ୬୧୪୨ ଥିବାବେଳେ ୨୦୨୫ରେ ଏହା ୬୪୮୩କୁ ବୃଦ୍ଧି ପାଇଛି। ପ୍ରଶ୍ନ ଉଠୁଛି, ଯଦି ସରକାର କାମ କରୁଛନ୍ତି, ତେବେ ମୃତ୍ୟୁ ସଂଖ୍ୟା ବଢ଼ୁଛି କାହିଁକି?

ଆଶ୍ଚର୍ଯ୍ୟର କଥା ହେଉଛି, ସଡ଼କ ଦୁର୍ଘଟଣା ରୋକିବା ପାଇଁ ସରକାର IIT Madras ସହିତ ୨୩ ଡିସେମ୍ବର ୨୦୨୪ରେ ଏକ ଚୁକ୍ତି (MoU) ସ୍ୱାକ୍ଷର କରିଛନ୍ତି। ଏହି ବାବଦରେ ଏପର୍ଯ୍ୟନ୍ତ ସରକାର ୪ କୋଟି ୫୨ ଲକ୍ଷ ୭୪ ହଜାର ୬୯୭ ଟଙ୍କା ଖର୍ଚ୍ଚ କରିସାରିଲେଣି। କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ବଡ଼ ବଡ଼ ଶିକ୍ଷାନୁଷ୍ଠାନ ସହ ପରାମର୍ଶ ଚାଲିଛି, ହେଲେ ଫଳାଫଳ ଶୂନ! ଟଙ୍କା ପାଣି ପରି ବୋହିଯାଉଛି, କିନ୍ତୁ ସାଧାରଣ ଲୋକର ଜୀବନ ସୁରକ୍ଷିତ ନାହିଁ। ଏହା କ’ଣ କେବଳ ଏକ କାଗଜପତ୍ରର ଚୁକ୍ତି କି? ନା ଏହି ଅର୍ଥର ସଦୁପଯୋଗ ହେଉନାହିଁ?

ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ଲାକ୍ ସ୍ପଟ୍ ଚିହ୍ନଟ ହେଉଛି, ହେଲମେଟ୍ ଚେକିଂ ନାଁରେ ଜୋରିମାନା ଆଦାୟ ହେଉଛି। କିନ୍ତୁ ଅସଲ ସମସ୍ୟା ଯଥା— ଖରାପ ରାସ୍ତା, ଅନ୍ଧାରୁଆ ବ୍ଲାଇଣ୍ଡ୍ ସ୍ପଟ୍ ଏବଂ ଟ୍ରାଫିକ୍ ନିୟମର କୋହଳ କାର୍ଯ୍ୟକାରିତା ଉପରେ କେବେ ସ୍ଥାୟୀ ସମାଧାନ ହେବ? ୨୦୨୫ରେ ଦୈନିକ ଆହତଙ୍କ ସଂଖ୍ୟା ୩୦ରେ ସ୍ଥିର ରହିବା ଦର୍ଶାଉଛି ଯେ ପରିସ୍ଥିତିରେ କୌଣସି ସୁଧାର ଆସିନାହିଁ। ସରକାର କେବଳ ବିଧାନସଭାରେ ପରିସଂଖ୍ୟାନ ରଖିଦେଲେ ଦାୟିତ୍ୱ ସରିଯାଏ ନାହିଁ। କୋଟି କୋଟି ଟଙ୍କାର ବଜେଟ୍ କେଉଁ ସଚେତନତା ପାଇଁ ଖର୍ଚ୍ଚ ହେଉଛି, ଯେତେବେଳେ ଯମରାଜ ରାସ୍ତାରେ ଖୋଲାଖୋଲି ବୁଲୁଛନ୍ତି?

ଆଜି ଓଡ଼ିଶାର ଜନତା ଜବାବ ଚାହୁଁଛନ୍ତି। ଆମକୁ କୋଟି କୋଟି ଟଙ୍କାର ଚୁକ୍ତିନାମା ଦରକାର ନାହିଁ, ଆମକୁ ଦରକାର ସୁରକ୍ଷିତ ରାସ୍ତା। ଯଦି ବୈଜ୍ଞାନିକ ପଦ୍ଧତିରେ କାମ ହେଉଛି, ତେବେ ମୃତ୍ୟୁର ଗ୍ରାଫ୍ ତଳକୁ ଖସୁନି କାହିଁକି? ସରକାର କେବଳ ତଥ୍ୟର ଜାଲରେ ଲୋକଙ୍କୁ ଭୁଆଁ ନ ବୁଲାଇ, ବାସ୍ତବରେ ଦୁର୍ଘଟଣା ରୋକିବାକୁ ଦୃଢ଼ ପଦକ୍ଷେପ ନିଅନ୍ତୁ। ନହେଲେ ଏହି ପରିସଂଖ୍ୟାନ ଆଗକୁ ଆହୁରି ଭୟଙ୍କର ହେବ। ଆପଣଙ୍କୁ କ’ଣ ଲାଗୁଛି? ରାଜ୍ୟରେ ବଢ଼ୁଥିବା ଦୁର୍ଘଟଣା ପାଇଁ କିଏ ଦାୟୀ? ଆମକୁ କମେଣ୍ଟ କରି ଜଣାନ୍ତୁ।

Leave a Reply

Your email address will not be published. Required fields are marked *