ଶାହ IN, ଓଲି OUT; ବଦଳିବ ନେପାଳର ଚିତ୍ର !

ଚୌକିରେ ବସୁ ବସୁ ନେଲେ ବଡ ଆକ୍ସନ !

କେପି ଶର୍ମା ଓଲିଙ୍କୁ ବାନ୍ଧିଲା ପୁଲିସ !

୧୦ ବର୍ଷ ଜେଲ ଯିବେ କି ନେପାଳର ହେଭିୱେଟ୍ ନେତା?

୩୫ ବର୍ଷୀୟ ପିଏମ୍‌ଙ୍କ ପାୱାରଫୁଲ୍ ଏଣ୍ଟ୍ରି

ଥରୁଛି ନେପାଳର ପୁରୁଣା ବ୍ୟବସ୍ଥା

ବଦଳିବ ନେପାଳ ର ଭାଗ୍ୟ | ଶାସନରେ ଆସୁ ଆସୁ ଆକ୍ସନ ମୋଡରେ ନୂଆ ପ୍ରଧାନମନ୍ତ୍ରୀ | ନେପାଳର ପୁରୁଣା ବ୍ୟବସ୍ଥା ସହ ପୂର୍ବ ପ୍ରଧାନମନ୍ତ୍ରୀଙ୍କୁ ଦେଲେ କଡା ଜବାବ | ଗିରଫ ହେଲେ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି। କେବଳ ଓଲି ନୁହଁନ୍ତି, ବରଂ ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖକଙ୍କୁ ମଧ୍ୟ ପୁଲିସ ଉଠାଇ ନେଇଛି। ଶନିବାର ସକାଳୁ ସକାଳୁ ଭକ୍ତପୁର ସ୍ଥିତ ବାସଭବନରୁ କେପି ଶର୍ମା ଓଲିଙ୍କୁ ହେପାଜତକୁ ନେଇଛି ପୁଲିସ। କିନ୍ତୁ କାହିଁକି? କେଉଁ ଅପରାଧରେ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗିରଫ କରାଗଲା? କଣ ରହିଛି ଏହି “ସେପ୍ଟେମ୍ବର ଜେନ-ଜି” ବିଦ୍ରୋହର କାହାଣୀ? ଆସନ୍ତୁ ଜାଣିବା ଏହି ରିପୋର୍ଟରେ…

ଘଟଣାଟି ହେଉଛି ସେପ୍ଟେମ୍ବର ମାସର। ନେପାଳର ଯୁବପିଢ଼ି ବା ଜେନ-ଜି (Gen Z) ମାନେ ଏକ ବିଶାଳ ଆନ୍ଦୋଳନ କରିଥିଲେ। ସେହି ସମୟରେ ବିକ୍ଷୋଭକାରୀଙ୍କ ଉପରେ ହୋଇଥିବା ଦମନଲୀଳା ଏବଂ ହିଂସାରେ ପ୍ରାୟ ୭୭ ଜଣଙ୍କର ଜୀବନ ଯାଇଥିଲା। କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା। ତେବେ ଏହି ହିଂସାକାଣ୍ଡ ପାଇଁ ଗଠିତ ହୋଇଥିବା ଗୌରୀ ବାହାଦୁର କାର୍କି କମିଶନ ନିଜ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି।

ରିପୋର୍ଟ ଅନୁସାରେ, ଏହି ସମସ୍ତ ଘଟଣା ପଛରେ ଥିଲା “କ୍ରିମିନାଲ ନେଗ୍ଲିଜେନ୍ସ” ବା ଅପରାଧିକ ଅବହେଳା। ପୂର୍ବରୁ ଗୋଇନ୍ଦା ସୂଚନା ଥାଇ ମଧ୍ୟ ସରକାର ଏହାକୁ ରୋକିବାରେ ବିଫଳ ହୋଇଥିଲେ। ଏଥିପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି, ଗୃହମନ୍ତ୍ରୀ ରମେଶ ଲେଖକ ଏବଂ ତତ୍କାଳୀନ ଆଇଜିପି ଚନ୍ଦ୍ର କୁବେର ଖାପୁଙ୍ଗଙ୍କୁ ଦାୟୀ କରାଯାଇଛି। ସେମାନଙ୍କ ବିରୋଧରେ ନେପାଳ ପେନାଲ କୋଡର ଧାରା ୧୮୧ ଏବଂ ୧୮୨ ଅନୁସାରେ ମାମଲା ରୁଜୁ ହୋଇଛି, ଯେଉଁଥିରେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ପ୍ରାବଧାନ ରହିଛି।

ଆଶ୍ଚର୍ଯ୍ୟର କଥା ହେଉଛି, ନେପାଳରେ ନୂଆ ସରକାର ଗଠନ ହେବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଏହି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତକାଲି ଅର୍ଥାତ ଶୁକ୍ରବାର ଦିନ ହିଁ ୩୫ ବର୍ଷୀୟ ଯୁବ ନେତା ବାଲେନ୍ଦ୍ର ଶାହ ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଶାହ ହେଉଛନ୍ତି ନେପାଳର ସବୁଠାରୁ କମ୍ ବୟସ୍କ ପ୍ରଧାନମନ୍ତ୍ରୀ ଏବଂ ପ୍ରଥମ ମଧେଶୀ ନେତା।

ସିଂହାସନରେ ବସୁ ବସୁ ବାଲେନ୍ଦ୍ର ଶାହ ନିଜର ଆକ୍ସନ ମୋଡ୍ ଦେଖାଇଛନ୍ତି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଫର୍ମାଲ କମ୍ପଲେନ୍ ହେବା ପରେ ଶନିବାର ଭୋର ୫ଟାରୁ ହିଁ ଅପରେସନ ଆରମ୍ଭ ହୋଇଥିଲା। କେବଳ ଓଲି କିମ୍ବା ଲେଖକ ନୁହଁନ୍ତି, ଏହି ତାଲିକାରେ ଅନେକ ବଡ଼ ବଡ଼ ଅଫିସରଙ୍କ ନାଁ ମଧ୍ୟ ରହିଛି। ସଶସ୍ତ୍ର ପୁଲିସ ବଳର ମୁଖ୍ୟ ରାଜୁ ଆର୍ଯ୍ୟାଲ, ପୂର୍ବତନ ଗୃହ ସଚିବ ଗୋକର୍ଣ୍ଣ ମଣି ଦାୱାଡିଙ୍କ ଭଳି ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି।

ବର୍ତ୍ତମାନ କାଠମାଣ୍ଡୁ ଉପତ୍ୟକାରେ ସୁରକ୍ଷା ବ୍ୟବସ୍ଥାକୁ ଅତି କଡ଼ାକଡ଼ି କରାଯାଇଛି। ବାଲେନ୍ଦ୍ର ଶାହଙ୍କ ଏହି ପଦକ୍ଷେପ ନେପାଳ ରାଜନୀତିରେ ଏକ ନୂଆ ଯୁଗର ସୂଚନା ଦେଉଛି। ଯେଉଁଠି ପୁରୁଣା ବରିଷ୍ଠ ନେତାମାନଙ୍କୁ ସେମାନଙ୍କ ଭୁଲ ପାଇଁ ଜବାବ ଦେବାକୁ ପଡୁଛି। ତେବେ ଏହି ଗିରଫଦାରୀ ପରେ ନେପାଳରେ ଆଗକୁ କଣ ହେବ? ଓଲିଙ୍କ ସମର୍ଥକମାନେ କଣ ରାଜରାସ୍ତାକୁ ଓହ୍ଲାଇବେ? ନା ବାଲେନ୍ଦ୍ର ଶାହଙ୍କ “କ୍ଲିନ୍ ଗଭର୍ଣ୍ଣାନ୍ସ” ମଡେଲକୁ ଜନତା ସମର୍ଥନ ଦେବେ? ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *