ପୁଣେରେ ଆରମ୍ଭ ହେଉଛି କଳିଙ୍ଗ ପ୍ରିମିୟର ଲିଗ୍–୨୦୨୬

ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି। କଳିଙ୍ଗ ଯୁବକ ସଂଘ, ପୁଣେଙ୍କ ଆୟୋଜନରେ ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟ (ସିଜନ–୧) ଆୟୋଜିତ ହେଉଥିବାରୁ ଓଡ଼ିଆ ସମୁଦାୟ ମଧ୍ୟରେ ବ୍ୟାପକ ଉତ୍ସାହ ପ୍ରକାଶ ପାଉଛି।

ଏହି ଟୁର୍ଣ୍ଣାମେଣ୍ଟ ଏପ୍ରିଲ ୪, ୫, ୧୧ ଓ ୧୨ ତାରିଖରେ ପୁଣେର ଚାନ୍ଦଖେଡ଼ରେ ଅବସ୍ଥିତ ଛତ୍ରପତି ଶିବାଜୀ ମହାରାଜ କ୍ରିକେଟ କ୍ଲବ୍ ମଇଦାନରେ ଅନୁଷ୍ଠିତ ହେବ। ୪ ଏପ୍ରିଲ ଉଦ୍ଘାଟନୀ ଦିନ ଭାବେ ପାଳନ ହେବ ଏବଂ ଏହା ସହିତ ଉତ୍କଳ ଦିବସର ବିଶେଷ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପ୍ରକାଶ ନନ୍ଦ ଉପସ୍ଥିତ ରହି ଦୀପ ପ୍ରଜ୍ୱଳନ କରି ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନ କରିବେ।

ଏହି କ୍ରିକେଟ ଲିଗ୍‌ରେ ପ୍ରାୟ ୧୬ଟି ଦଳ ଅଂଶଗ୍ରହଣ କରୁଛନ୍ତି। ପୁଣେ ସହିତ ବେଙ୍ଗାଲୁରୁ, ମୁମ୍ବାଇ, ଆହମଦାବାଦ, ଦିଲ୍ଲୀ, କଲକାତା, ଚଣ୍ଡିଗଡ଼ ଓ ଅନ୍ୟାନ୍ୟ ସହରରୁ ମଧ୍ୟ ଦଳଗୁଡ଼ିକ ଯୋଗଦେଇଛନ୍ତି। ଏହା ମାଧ୍ୟମରେ ଦେଶବ୍ୟାପୀ ଓଡ଼ିଆ ଖେଳାଳିମାନଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ ହେବା ସହ କ୍ରୀଡା ସଂସ୍କୃତିର ଉନ୍ନତି ହେବ ବୋଲି ଆଶା କରାଯାଉଛି।

ମ୍ୟାଚଗୁଡ଼ିକ ସକାଳରୁ ରାତି ପର୍ଯ୍ୟନ୍ତ ଧାରାବାହିକ ଭାବରେ ଅନୁଷ୍ଠିତ ହେବ ଏବଂ ଏହାକୁ ଯୁଟ୍ୟୁବ ମାଧ୍ୟମରେ Live ପ୍ରସାରଣ କରାଯିବ। ପ୍ରତିଟି ମ୍ୟାଚ ପ୍ରାୟ ୧ ଘଣ୍ଟା ୩୦ ମିନିଟ୍‌ ହେବ। ଶନିବାର ଓ ରବିବାର ମିଳି ଏକ ସପ୍ତାହାନ୍ତରେ ପ୍ରାୟ ୧୬ଟି ମ୍ୟାଚ ଆୟୋଜିତ ହେବ ଏବଂ ଲିଗ୍ ପର୍ଯ୍ୟାୟ ପରେ କ୍ୱାର୍ଟର ଫାଇନାଲ, ସେମିଫାଇନାଲ ଓ ଫାଇନାଲ ମ୍ୟାଚ ହେବ। ଫାଇନାଲ ମ୍ୟାଚ ୧୨ ଏପ୍ରିଲରେ ଖେଳାଯିବ।

ଉଦ୍ଘାଟନୀ ଦିନ ସନ୍ଧ୍ୟା ୬ଟାରେ ଉତ୍କଳ ଦିବସ ପାଳନ ଅବସରରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଓଡ଼ିଶାର ପାରମ୍ପରିକ ନୃତ୍ୟ, ସଙ୍ଗୀତ ଓ ଲୋକସଂସ୍କୃତିର ପ୍ରଦର୍ଶନ ମାଧ୍ୟମରେ ପୁଣେରେ ଥିବା ଓଡ଼ିଆମାନେ ନିଜ ସଂସ୍କୃତିକ ଐତିହ୍ୟକୁ ଉଜାଗର କରିବେ।

ଏହା ସହିତ ଟୁର୍ଣ୍ଣାମେଣ୍ଟ ସ୍ଥଳରେ ପାରମ୍ପରିକ ଓଡ଼ିଆ ଖାଦ୍ୟର ବିଶେଷ ବ୍ୟବସ୍ଥା ରହିଛି। ପଖାଳ ଭାତ, ଡାଲମା, ଛେନା ପୋଡ଼, ରସଗୋଲା, ଆରିସା ପିଠା, ଦହିବରା-ଆଳୁଦମ ପରି ବିଭିନ୍ନ ପ୍ରସିଦ୍ଧ ଖାଦ୍ୟ ଦର୍ଶକମାନଙ୍କୁ ଓଡ଼ିଶାର ସ୍ୱାଦ ଅନୁଭବ କରାଇବ। କଳିଙ୍ଗ ପ୍ରିମିୟର ଲିଗ୍ କେବଳ ଏକ କ୍ରୀଡା ପ୍ରତିଯୋଗିତା ନୁହେଁ, ବରଂ ପୁଣେରେ ଥିବା ଓଡ଼ିଆ ସମୁଦାୟଙ୍କ ଏକତା, ସଂସ୍କୃତି ଓ ସାମୁଦାୟିକ ଭାବନାକୁ ଦୃଢ କରିବାର ଏକ ମଞ୍ଚ ଅଟେ।

ଏହି ବୃହତ୍ ଆୟୋଜନର ସଫଳତା ପାଇଁ ଶ୍ରୀ ଦେବାଶିଷ ସେନାପତି, ଶ୍ରୀ ବସନ୍ତ କୁମାର ପାଢ଼ିଆରୀ, ଶ୍ରୀ ସୌମ୍ୟ ମହାପାତ୍ର ଓ ଶ୍ରୀ ସୁଶୀଲ ଲେଙ୍କାଙ୍କ ବିଶେଷ ସହଯୋଗ ଓ ସମନ୍ୱୟ ରହିଛି। ସେମାନଙ୍କ ସହିତ ଅନ୍ୟାନ୍ୟ ସଭ୍ୟମାନଙ୍କ ଉଦ୍ୟମ ଓ ପରିଶ୍ରମ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ମୁଖ୍ୟ ଭୂମିକା ନେଇଛି। କଳିଙ୍ଗ ଯୁବକ ସଂଘ ପକ୍ଷରୁ ସମସ୍ତ ଖେଳପ୍ରେମୀ ଓ ଓଡ଼ିଆ ଭାଇଭଉଣୀମାନଙ୍କୁ ଏହି ଟୁର୍ଣ୍ଣାମେଣ୍ଟରେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବାକୁ ଆହ୍ୱାନ କରାଯାଇଛି। ଏହି ଖେଳ ଉତ୍ସବ ମାଧ୍ୟମରେ ପୁଣେରେ ଓଡ଼ିଆ ସଂସ୍କୃତି, କ୍ରୀଡା ଓ ସାମୁଦାୟିକ ଏକତାର ଏକ ସୁନ୍ଦର ଚିତ୍ର ପ୍ରକାଶ ପାଇବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *