ଆମ୍ବଚାଷୀ ହତାସ, ଦଲାଲ ମାଲେମାଲ

ଗଛରେ ଫଳୁଛି ସୁନାର ଫଳ ଆମ୍ବ, ହେଲେ ସେହି ସୁନାର ମୂଲ୍ୟ ପାଉନାହାନ୍ତି ଚାଷୀ। କଳାହାଣ୍ଡି ଜିଲ୍ଲାରୁ ଟ୍ରକ୍ ଟ୍ରକ୍ ଆମ୍ବ ବାହାର ରାଜ୍ୟକୁ ଯାଉଥିବା ବେଳେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ନାହିଁ ଉପଯୁକ୍ତ ବଜାର ବ୍ୟବସ୍ଥା, ନାହିଁ ଶୀତଳ ଭଣ୍ଡାର, ନାହିଁ ସରକାରୀ କ୍ରୟ ବ୍ୟବସ୍ଥା। ଆଉ ଏହାର ସୁଯୋଗ ନେଇ ଦଲାଲମାନେ ହଜାର ହଜାର ଟଙ୍କା ଲାଭ ଉଠାଉଥିବା ଅଭିଯୋଗ ହୋଇଛି।

କଳାହାଣ୍ଡି ଜିଲ୍ଲାରେ ଚଳିତ ବର୍ଷ ଆମ୍ବ ଉତ୍ପାଦନ ଭଲ ହୋଇଛି। ଗାଁ ଗାଁରୁ ଟନ୍ ଟନ୍ ଆମ୍ବ ସଂଗ୍ରହ କରି ଦଲାଲମାନେ ବାହାର ରାଜ୍ୟକୁ ପଠାଉଛନ୍ତି। ହେଲେ ବର୍ଷସାରା ପରିଶ୍ରମ କରି ଆମ୍ବ ଚାଷ କରୁଥିବା ଚାଷୀ ନିଜ ଉତ୍ପାଦର ନ୍ୟାୟସଙ୍ଗତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି।

ଚାଷୀମାନଙ୍କ ଅଭିଯୋଗ, ଅଞ୍ଚଳରେ ନାହିଁ ଶୀତଳ ଭଣ୍ଡାର କିମ୍ବା ସରକାରୀ କ୍ରୟ କେନ୍ଦ୍ର। ଫଳରେ ଆମ୍ବ ନଷ୍ଟ ହେବା ଭୟରେ ସେମାନେ କମ୍ ଦାମରେ ଦଲାଲଙ୍କ ହାତକୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଚାଷୀଙ୍କ ଠାରୁ ୧୦ରୁ ୧୫ ଟଙ୍କା କିଲୋରେ କିଣାଯାଉଥିବା ଆମ୍ବ ବାହାର ବଜାରରେ ଦୁଇରୁ ତିନି ଗୁଣା ଅଧିକ ଦାମରେ ବିକ୍ରି ହେଉଥିବା ସେମାନେ କହିଛନ୍ତି।

ମିଶନ ଶକ୍ତି, ପ୍ରଡ୍ୟୁସର କମ୍ପାନୀ ଏବଂ ପ୍ରଶାସନର ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଚାଷୀଙ୍କୁ ସିଧାସଳଖ ବଜାର ସହ ଯୋଡ଼ିବାରେ ସଂପୃକ୍ତ ସଂସ୍ଥାଗୁଡ଼ିକ ବିଫଳ ହୋଇଥିବା ବେଳେ ଏହାର ସିଧା ପ୍ରଭାବ ଚାଷୀଙ୍କ ଆୟ ଉପରେ ପଡ଼ୁଛି। ସରକାର ଚାଷୀଙ୍କ ଆୟ ବୃଦ୍ଧି ପାଇଁ ବିଭିନ୍ନ ଯୋଜନା କଥା କହୁଥିବା ବେଳେ ଭୂମିସ୍ତରରେ ତାହାର ସୁଫଳ ମିଳୁନଥିବା ଚାଷୀମାନେ କହିଛନ୍ତି।

ଆମ୍ବ ଚାଷୀଙ୍କ ଦାବି, ଅଞ୍ଚଳରେ ତୁରନ୍ତ ଶୀତଳ ଭଣ୍ଡାର ସ୍ଥାପନ କରାଯାଉ, ସରକାରୀ କ୍ରୟ ବ୍ୟବସ୍ଥା ଆରମ୍ଭ କରାଯାଉ ଏବଂ ଦଲାଲ ରାଜ ଉପରେ ରୋକ ଲଗାଯାଉ। ନଚେତ୍ ଆଗାମୀ ଦିନରେ ଆମ୍ବ ଚାଷରୁ ମୁହଁ ଫେରାଇବାକୁ ବାଧ୍ୟ ହେବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *