ରାମ ନବମୀରେ ବଡ ଉପହାର; ଖସିଲା ଦର

ସାଧାରଣ ଜନତାଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର। ଦେଶରେ ପେଟ୍ରୋଲ ଓ ଡିଜେଲ ଦରକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରୁ ଏକ୍ସସାଇଜ୍‌ ଡ୍ୟୁଟି ବା ଉତ୍ପାଦ ଶୁଳ୍କକୁ ବହୁ ପରିମାଣରେ ହ୍ରାସ କରାଯାଇଛି। କେନ୍ଦ୍ର ସରକାରଙ୍କ ଏହି ଘୋଷଣା ପରେ ଏବେ ତେଲ ଦରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ବିଶେଷ କରି ପେଟ୍ରୋଲ ଉପରେ ଥିବା ଏକ୍ସସାଇଜ୍‌ ଡ୍ୟୁଟିକୁ ସରକାର ୧୩ ଟଙ୍କାରୁ କମାଇ ମାତ୍ର ୩ ଟଙ୍କା କରିଦେଇଛନ୍ତି। ଅର୍ଥାତ୍ ପେଟ୍ରୋଲ ଉପରୁ ସିଧାସଳଖ ୧୦ ଟଙ୍କାର ଶୁଳ୍କ କମିଛି। ଯାହାର ସିଧା ପ୍ରଭାବ ଖାଉଟିଙ୍କ ପକେଟ୍ ଉପରେ ପଡ଼ିବ ଏବଂ ପେଟ୍ରୋଲ ଶସ୍ତା ହେବ। ତେବେ ସବୁଠାରୁ ବଡ଼ ଖବର ହେଉଛି ଡିଜେଲ୍‌କୁ ନେଇ। ଏବେ ଡିଜେଲ୍ ଉପରେ କୌଣସି ଏକ୍ସସାଇଜ୍‌ ଡ୍ୟୁଟି ଲାଗୁ ହେବ ନାହିଁ। ପୂର୍ବରୁ ଡିଜେଲ୍ ଉପରେ ୧୦ ଟଙ୍କା ଏକ୍ସସାଇଜ୍‌ ଡ୍ୟୁଟି ରହୁଥିଲା, ଯାହାକୁ ସରକାର ସମ୍ପୂର୍ଣ୍ଣ ଭାବେ ହଟାଇ ଦେଇଛନ୍ତି। ଏହାଦ୍ୱାରା ପରିବହନ ବ୍ୟୟ କମିବା ସହ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ନିୟନ୍ତ୍ରଣରେ ରହିବ ବୋଲି ଆଶା କରାଯାଉଛି। ଦରବୃଦ୍ଧି ସମୟରେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ସାଧାରଣ ଖାଉଟି, ଚାଷୀ ଏବଂ ପରିବହନ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛି। ଆଗକୁ ଏହାର ପ୍ରଭାବ ବଜାର ଉପରେ କିଭଳି ପଡୁଛି, ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *