ବାକ୍ସରେ ବନ୍ଦ ହୋଇ ଫେରିଲା ସ୍ୱପ୍ନ ! ଛାତି ଥରାଇ ଦେବ ଏହି ଦୃଶ୍ୟ…

କାନ୍ଦବୋବାଳିରେ ଫାଟିପଡ଼ୁଛି କୋଡ଼ିପଷା ଗାଁ 

କାନ୍ଦୁଛି ମା, କାନ୍ଦୁଛି ବାପା ଲୁହ ପୋଛିବାକୁ ନହିଁ ଝିଅ !

ଯାଇଥିଲେ ସ୍ୱପ୍ନ ସାଉଁଟିବାକୁ… ବାକ୍ସରେ ବନ୍ଦ ହୋଇ ଫେରିଲା ଶରୀର!

ବେସାହାରା ହୋଇଗଲେ ପରିବାର..

କାନ୍ଦବୋବାଳିରେ ଫାଟିପଡ଼ୁଛି କୋଡ଼ିପଷା ଗାଁ । ଯେଉଁ ଘରେ କିଛିଦିନ ତଳେ ରୋଜଗାରର ସ୍ୱପ୍ନ ଥିଲା, ସେଠାରେ ଏବେ ଫେରିଛି ମୃତଦେହ । ବନ୍ଦ ହୋଇଯାଇଛି କିଛି ଅଧୁରା ସ୍ୱପ୍ନ, କିଛି ଛୋଟ ଛୋଟ ଆଶା, ଆଉ ପାଞ୍ଚଟି ଗରିବ ପରିବାରର ସମ୍ପୂର୍ଣ୍ଣ ଭବିଷ୍ୟତ!

ସ୍ଥାନ- କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର କୋଡ଼ିପଷା ଅଞ୍ଚଳ। କିଛି ଦିନ ତଳେ ପରିବାରର ମୁହଁରେ ଦୁଇ ଓଳି ଦୁଇ ମୁଠା ଦାନା ଦେବା ପାଇଁ, ଯେଉଁ ଝିଅମାନେ ହସ ହସ ମୁହଁରେ ଗାଁ ଦାଣ୍ଡରୁ ବିଦାୟ ନେଇ ଟ୍ରେନ୍ ଚଢିଥିଲେ… ଆଜି ସେମାନେ ଫେରିଛନ୍ତି ସତ, କିନ୍ତୁ କାହାରି ପାଟିରେ ପଦେ କଥା ନାହିଁ। ତାମିଲନାଡୁର ଏକ ଅଭିଶପ୍ତ ଗ୍ୟାସ୍ ଲିକ୍ ଦୁର୍ଘଟଣା, ସବୁଦିନ ପାଇଁ ଛଡ଼ାଇ ନେଇଛି କେନ୍ଦୁଝର ମାଟିର ୭ ଜଣ ନିରୀହ ଶ୍ରମିକଙ୍କ ଜୀବନ। ସେଥିମଧ୍ୟରୁ ଆଜି କୋଡ଼ିପଷାରେ ଜଣେ, ତଳଚମ୍ପେଇରେ ଜଣେ, ରଙ୍ଗମାଟିଆରେ ଜଣେ ଏବଂ ଟାଙ୍ଗିରି ଗାଁରେ ଦୁଇ ଜଣଙ୍କ ମୃତଦେହ ପହଞ୍ଚିବା ପରେ ପୂରା ଅଞ୍ଚଳରେ ଖେଳିଯାଇଛି ମଶାଣିର ନୀରବତା।

ପେଟର ନିଆଁ ସେମାନଙ୍କୁ ଟାଣି ନେଇଥିଲା ହଜାର କିଲୋମିଟର ଦୂରକୁ। ଘରେ ବୁଢ଼ା ବାପା-ମାଆ ବାଟ ଚାହିଁ ବସିଥିଲେ— ‘ଝିଅ ଦରମା ଟଙ୍କା ପଠାଇଲେ ଘରର ଭଙ୍ଗା ଚାଳ ସଜାଡ଼ିବି, ଦେହ ପାଇଁ ଔଷଧ ଆଣିବି’। କିନ୍ତୁ ଟଙ୍କା ବଦଳରେ ଆସିଲା ଝିଅର କୋକେଇ!
ସବୁଠାରୁ ବଡ଼ ବିଡ଼ମ୍ବନା ହେଉଛି, ଏହି ସମସ୍ତ ପରିବାର ନିଜର ଏକମାତ୍ର ରୋଜଗାରକ୍ଷମ ମଣିଷକୁ ହରାଇ ଏବେ ଦାଣ୍ଡର ଭିକାରୀ ପାଲଟିଯାଇଛନ୍ତି। ଏବେ ପ୍ରଶ୍ନ ଉଠୁଛି— ଏ ଅସହାୟ ଆଖିର ଲୁହ ପୋଛିବ କିଏ? ସରକାର କେବଳ କାଗଜ କଲମରେ ସମବେଦନା ଜଣାଇ ଫାଇଲ୍ ବନ୍ଦ କରିଦେବେ, ନା ଏହି ବେସାହାରା ପରିବାରକୁ ଉପଯୁକ୍ତ କ୍ଷତିପୂରଣ ସହ ବଞ୍ଚିବାର ରାସ୍ତା ଦେବେ? ଲୁହରେ ଭିଜୁଥିବା କୋଡ଼ିପଷାର ମାଟି ଆଜି ସିଷ୍ଟମକୁ ଏହି ଗୋଟିଏ ପ୍ରଶ୍ନ ପଚାରୁଛି।

Leave a Reply

Your email address will not be published. Required fields are marked *