ଅଧିକ ମାତ୍ରାରେ ପାଣି ପିଉଛନ୍ତି କି ?
ଏକାସାଙ୍ଗରେ ବହୁତ ପାଣି ପିଇବା ପଡିପାରେ ମହାଙ୍ଗା !
କେବଳ ପାଣି ପିଇଲେ ଶରୀର ହାଇଡ୍ରେଟେଡ୍ ରହେନାହିଁ !
ରହିଯାଆନ୍ତୁ ପାଣି ପିଇବା ପୂର୍ବରୁ ଥରେ ଏହି ଭିଡିଓ ଦେଖିନିଅନ୍ତୁ
ଚାଲିଛି ଗ୍ରୀଷ୍ମ ଋତୁ । ଚାରିଆଡେ ନିଆଁ ବର୍ଷୁଛି । ଏମିତିରେ ଶୋଷ ଲାଗିବା ସ୍ୱାଭାବିକ । ଆଉ ଶୋଷ ମେଣ୍ଟାଇବା ପାଇଁ ଆମେ ଗ୍ଲାସ ପରେ ଗ୍ଲାସ ପାଣି ପିଇ ଚାଲିଥାଉ । କିନ୍ତୁ ଆପଣ ଜାଣନ୍ତି କି, ଆପଣ ପିଉଥିବା ଏହି ଅଧିକ ପାଣି ଆପଣଙ୍କ ଶରୀର ପାଇଁ ଫାଇଦା ନୁହେଁ ବରଂ ବିପଦ ଆଣିପାରେ? କେବଳ ପାଣି ପିଇଲେ ଶରୀର ହାଇଡ୍ରେଟେଡ୍ ରହେନାହିଁ । ତେବେ ପାଣି ପିଇବାର ସଠିକ୍ ତରିକା କ’ଣ? ଆସନ୍ତୁ ଜାଣିବା ଆଜିର ଏହି ସ୍ପେଶାଲ୍ ରିପୋର୍ଟରେ…
ଅଧିକାଂଶ ଲୋକ ଭାବନ୍ତି ପ୍ରଚୁର ପାଣି ପିଇଲେ ଶରୀର ସୁସ୍ଥ ରହିବ । କିନ୍ତୁ ବିଶେଷଜ୍ଞ କହୁଛନ୍ତି, ହାଇଡ୍ରେସନର ଅର୍ଥ କେବଳ ପାଣି ପିଇବା ନୁହେଁ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣଙ୍କ ଶରୀର ସେହି ପାଣିକୁ କେତେ ଭଲ ଭାବରେ ଶୋଷଣ କରୁଛି । ଯଦି ଆପଣ ଏକାସାଙ୍ଗରେ ଢକ ଢକ କରି ବହୁତ ପାଣି ପିଇ ଦେଉଛନ୍ତି, ତେବେ ମନେ ରଖନ୍ତୁ—ଆମ ଶରୀର ଏକାଥରକେ ସୀମିତ ପାଣି ହିଁ ଗ୍ରହଣ କରିପାରେ । ବାକି ପାଣି ଖୁବ୍ ଶୀଘ୍ର ପରିସ୍ରା ଆକାରରେ ବାହାରିଯାଏ । ଫଳରେ ଶରୀରକୁ କୌଣସି ବିଶେଷ ଫାଇଦା ମିଳେନାହିଁ ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ‘ଇଲେକ୍ଟ୍ରୋଲାଇଟ୍ସ’ । କେବଳ ଖାଲି ପାଣି ଶରୀର ପାଇଁ ଯଥେଷ୍ଟ ନୁହେଁ । ଶରୀରର କୋଷଗୁଡ଼ିକରେ ପାଣିକୁ ଅଟକାଇ ରଖିବା ପାଇଁ ସୋଡିୟମ ଏବଂ ପୋଟାସିୟମ ଭଳି ମିନେରାଲ୍ସର ଆବଶ୍ୟକତା ରହିଛି । ଯଦି ଆପଣଙ୍କ ଖାଦ୍ୟରେ ଏସବୁ ନାହିଁ, ତେବେ ଯେତେ ପାଣି ପିଇଲେ ବି ଆପଣଙ୍କୁ ଶୋଷ ଲାଗିବ । ଏପରିକି ଅଧିକ କଫି କିମ୍ବା ମଦ୍ୟପାନ ଶରୀରରୁ ପାଣି ବାହାର କରିବାରେ ସାହାଯ୍ୟ କରେ, ଯାହା ଶରୀର ପାଇଁ ହାନିକାରକ ।
ଯଦି ଆପଣଙ୍କୁ ବାରମ୍ବାର ମୁଣ୍ଡ ବିନ୍ଧୁଛି, ଥକ୍କା ଲାଗୁଛି କିମ୍ବା କୌଣସି କାମରେ ମନ ଲାଗୁନି—ତେବେ ବୁଝିଯାଆନ୍ତୁ ଆପଣଙ୍କ ଶରୀର ଡିହାଇଡ୍ରେଟ୍ ହୋଇସାରିଛି । କେବଳ ପାଣି ଉପରେ ନିର୍ଭର ନକରି ନିଜ ଖାଦ୍ୟରେ ଫଳ ଏବଂ ପନିପରିବା ସାମିଲ କରନ୍ତୁ । ଯେଉଁଥିରେ ପ୍ରାକୃତିକ ଭାବେ ଖଣିଜ ଲବଣ ଥାଏ । ଲୁଣିଆ କିମ୍ବା ପ୍ୟାକେଟ୍ ଫୁଡ୍ଠାରୁ ଦୂରେଇ ରୁହନ୍ତୁ ।
ମନେରଖନ୍ତୁ, ପାଣି ପିଇବା ଜରୁରୀ, କିନ୍ତୁ କେତେବେଳେ ଏବଂ କେମିତି ପିଉଛନ୍ତି ତାହା ଅଧିକ ଜରୁରୀ । ସୁସ୍ଥ ରୁହନ୍ତୁ, ସଠିକ୍ ଢଙ୍ଗରେ ପାଣି ପିଅନ୍ତୁ ।
