ବେଙ୍ଗଲରେ ମୋହନ ! ଓଡ଼ିଆଙ୍କ ସହ ବଡ଼ ଧୋକା ?

ଓଡ଼ିଶାରେ ସମସ୍ୟାର ପାହାଡ଼, ବେଙ୍ଗଲରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ’!

ନିଜ ରାଜ୍ୟ ବେହାଲ, ପଡ଼ୋଶୀ ରାଜ୍ୟରେ ନିର୍ବାଚନୀ ମାହୋଲ !

କ୍ଷମତା ପାଇଁ ବଗଡ଼ାରେ ପ୍ରଚାର, କେବେ ହେବ ଓଡ଼ିଶାର ଉଦ୍ଧାର ?

ମୋହନଙ୍କ ବେଙ୍ଗଲ ମିଶନ: ପ୍ରବାସୀଙ୍କ ଦରଦ ନା ଭୋଟବ୍ୟାଙ୍କ ରାଜନୀତି ?

ଓଡ଼ିଶା ଛାଡ଼ି ବେଙ୍ଗଲ ମୁହାଁ ରାଜ୍ୟର ମୁଖିଆ !

ଗୋଟିଏ ପଟେ ନିଜ ରାଜ୍ୟ ଓଡ଼ିଶାରେ ସମସ୍ୟାର ଲମ୍ବା ତାଲିକା… ବେକାରୀଙ୍କ ହାହାକାର, ଚାଷୀଙ୍କ ମୁଣ୍ଡରେ ହାତ, ଆଉ ଅନେକ ଅସମାହିତ ପ୍ରସଙ୍ଗ । କିନ୍ତୁ ଅନ୍ୟ ପଟେ… ନିଜ ରାଜ୍ୟର ଚିନ୍ତା ଛାଡ଼ି ପଡ଼ୋଶୀ ପଶ୍ଚିମବଙ୍ଗରେ ମାରାଥନ ପ୍ରଚାରରେ ବ୍ୟସ୍ତ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ !

ଏପ୍ରିଲ ୨୯ ତାରିଖରେ ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ୧୪୨ଟି ସିଟ୍ ପାଇଁ ସବୁ ଦଳଙ୍କର ଜୋରଦାର ଲଢ଼େଇ ଭିତରେ ଏବେ ଷ୍ଟାର କ୍ୟାମ୍ପେନର୍ ସାଜିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ । ବଗଡ଼ାରେ ମେଗା ରୋଡ୍ ସୋ’, ରାଜାରହାଟରେ ବିଶାଳ ସମାବେଶ… ଆଉ ବିଜେପି ପ୍ରାର୍ଥୀଙ୍କ ପାଇଁ ହାତ ଯୋଡି ଭୋଟ୍ ଭିକ୍ଷା ! ପ୍ରଶ୍ନ ଉଠୁଛି, ଯେଉଁ ମୁଖ୍ୟମନ୍ତ୍ରୀଙ୍କ ଉପରେ ସାଢେ ଚାରି କୋଟି ଓଡ଼ିଆଙ୍କ ଆସ୍ଥା ରହିଛି, ସେ ନିଜ ରାଜ୍ୟର ବିକାଶ କଥା ଚିନ୍ତା କରିବେ ନା ବେଙ୍ଗଲରେ ନିଜ ଦଳ ପାଇଁ ଭୋଟ୍ ସାଉଁଟିବେ ?

କେବଳ ସେତିକି ନୁହେଁ, ପଶ୍ଚିମବଙ୍ଗରେ ଥିବା ଓଡ଼ିଆ ସମ୍ପ୍ରଦାୟ ସହ ରୁଦ୍ଧଦ୍ୱାର ବୈଠକ ମଧ୍ୟ ହେଉଛି । କିନ୍ତୁ ଏହା କ’ଣ ପ୍ରକୃତରେ ପ୍ରବାସୀ ଓଡ଼ିଆଙ୍କ ସମସ୍ୟା ବୁଝିବା ପାଇଁ, ନା କେବଳ ସେମାନଙ୍କୁ ‘ଭୋଟ୍ ବ୍ୟାଙ୍କ’ କରିବା ପାଇଁ ଏକ ସୁଚିନ୍ତିତ ରାଜନୈତିକ ଷଡଯନ୍ତ୍ର ? ଓଡ଼ିଶାରେ ଥାଇ ଯିଏ ରାଜ୍ୟବାସୀଙ୍କ ସବୁ ସମସ୍ୟାର ସମାଧାନ କରିପାରୁନାହାନ୍ତି, ସେଠି ପଡ଼ୋଶୀ ରାଜ୍ୟରେ ଓଡ଼ିଆଙ୍କ ପ୍ରେମରେ ସେ କିପରି ଉବୁଟୁବୁ ହେଉଛନ୍ତି, ତାହା ସଭିଙ୍କୁ ଚକିତ କରିଛି ।

ଆଉ ଏହି ବେଙ୍ଗଲର ମାରାଥନ ପ୍ରଚାର ସାରିବା ପରେ ମୁଖ୍ୟମନ୍ତ୍ରୀ ସିଧାସଳଖ ଫେରିବେ ନିଜ ଜନ୍ମ ମାଟି କେନ୍ଦୁଝର । ଯେମିତି କିଛି ହୋଇ ହିଁ ନାହିଁ ! ବେଙ୍ଗଲରେ ଭୋଟ୍ ମାଗିବା ପରେ ଏବେ ନିଜ ନିର୍ବାଚନ ମଣ୍ଡଳୀରେ ଦଳୀୟ ଆଉ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ଅନୁପସ୍ଥିତିର ହିସାବ ବରାବର କରିବାକୁ ଚେଷ୍ଟା କରିବେ ।

ଏବେ ବଡ଼ ସସ୍‌ପେନ୍ସ ହେଉଛି- ମୁଖ୍ୟମନ୍ତ୍ରୀଙ୍କ ଏହି ବେଙ୍ଗଲ ମିଶନ ବିଜେପିକୁ କେତେ ଫାଇଦା ଦେବ ତାହା ତ ସମୟ କହିବ । କିନ୍ତୁ ନିଜ ରାଜ୍ୟର ସମସ୍ୟାକୁ ଅଣଦେଖା କରି ଅନ୍ୟ ରାଜ୍ୟରେ ରାଜନୈତିକ ମାଇଲେଜ୍ ଖୋଜିବା, କ’ଣ ଏକ ସୁସ୍ଥ ରାଜନୀତିର ପରିଚୟ ? ରାଜନୀତିର ଏହି ଲୁଚକାଳି ଖେଳରେ ଆଖି ବୁଜିଦେଇଛି କିଏ ଆଉ ଫାଇଦା ମାରୁଛି କିଏ ? ଉତ୍ତର ଆପଣ ହିଁ ଦେବେ ।

Leave a Reply

Your email address will not be published. Required fields are marked *